Tuesday, October 15, 2019

ପିମ୍ପୁଡି ଝିଣ୍ଟିକା ଓ ବଣି

ପିମ୍ପୁଡି ଟିଏ । ତିନୋଟି ପିଲାଙ୍କୁ ନେଇ ତା' ସଂସାର । ମହୁଲ ଗଛ ମୂଳରେ ଘର କରି ରହୁଥାଏ।  ନିଇତି ସକାଳେ ସେ ଯାଏ । କେଉଁଠୁ ଚାଉଳ, କେଉଁଠୁ ଗହମ, କେଉଁଠୁ ବିରି,  କେଉଁଠୁ ମାଣ୍ଡିଆ, ଏମିତି ସବୁ ଗୋଟାଇ ଆଣେ ଓ ପିଲାଙ୍କୁ ଖାଇବାକୁ ଦିଏ । ଏମିତି ତା' ଦିନ କାଳ ଚାଲୁଥାଏ । 

ଦିନେ, ସେ ପିମ୍ପୁଡି ଖାଦ୍ୟ ଖୋଜି ଖୋଜି ବୁଲୁଥାଏ, ଗୋଟିଏ ଝିଣ୍ଟିକା ଆସି ତା' ବାଟ ଓଗାଳିଲା । ପଚାରିଲା, 
"ଏ ପିମ୍ପୁଡି । ଏଠି କ'ଣ କରୁଛୁ  ?"
ଝିଣ୍ଟିକା କୁ ଦେଖି ପିମ୍ପୁଡି ଡରିଗଲା । ଥତମତ ହୋଇ କହିଲା, 
"ଖାଇବା ଜିନିଷ ଗୋଟାଉଛି  । ଘରେ ପିଲା ମାନେ ଅଛନ୍ତି । ତା'ଙ୍କୁ ଖାଇବାକୁ ଦେବି ।" 

ଏ କଥା ଶୁଣି ଝିଣ୍ଟିକା କହିଲା, "କାଲି ଠାରୁ ଯାହା ରାନ୍ଧିବୁ ପ୍ରଥମେ ମୋତେ ଦେବୁ  । ମୋ ପେଟ ପୁରିଲେ ଯାଇ ଆଉ କାହାକୁ ଦେବୁ  । ନ ହେଲେ ତୋତେ ଆଉ ତୋ ପିଲାଙ୍କୁ ମାରିଦେବି  ।" 
ଏମିତି କହି ଝିଣ୍ଟିକା ଉଚ୍ଚ ସ୍ୱରରେ ଅଟ୍ଟହାସ ଦେଲା । ପିମ୍ପୁଡି ଡରରେ ଥର ଥର ହୋଇ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ଘର ଆଡେ ଧାଇଁ ଧାଇଁ ଚାଲିଲା । 

କିଛି ସମୟ ପରେ ଝିଣ୍ଟିକା ପିମ୍ପୁଡି ଘର କବାଟ ବାଡେଇଲା  । ପିମ୍ପୁଡି ଭିତରୁ ପଚାରିଲା କିଏ ବୋଲି । ଝିଣ୍ଟିକା ଉତ୍ତର ଦେଲା, "ମୁଁ ଝିଣ୍ଟିକା  । ଆଣ କଣ ରାନ୍ଧିଛୁ  ।"

ଝିଣ୍ଟିକା ବସିଲା । ଆଉ ପିମ୍ପୁଡି ଯାହା ରାନ୍ଧିଥିଲା,  ସବୁ ଖାଇଗଲା । ପିମ୍ପୁଡି ଦେଖିଲା ପିଲାଙ୍କ ପାଇଁ କିଛି ବଳିନି  । ପୁଣି ଥରେ ଗଲା ଖାଦ୍ୟ ଗୋଟାଇବା ପାଇଁ  ।

ଏମିତି କିଛି ଦିନ ଗଲା । ସକାଳେ ପିମ୍ପୁଡି ଯାହା ଆମେ, ସବୁ ଝିଣ୍ଟିକା ଖାଇଦିଏ, ପରେ ପିମ୍ପୁଡି ପୁଣି ଯାଏ, ଏବଂ ବଳକା ଯାହା ମିଳେ ସେଥିରେ ପିଲାଙ୍କ ପାଇଁ ରାନ୍ଧେ  । 

ସେ ଗଛ ଉପରେ ଗୋଟିଏ ବଣି ବସା ବାନ୍ଧିଥାଏ  । ସେ କିଛିଦିନ ପିମ୍ପୁଡି କୁ ଦେଖିଲା । ମନେ ମନେ ଭାବିଲା, "ଏ ପିମ୍ପୁଡି କାହିଁକି ଦିନ ସାରା ବାହାରେ ବୁଲୁଛି ଆଉ ଖାଦ୍ୟ ଗୋଟାଉଛି  ?" 

ଦିନେ ପିମ୍ପୁଡି ଖାଦ୍ୟ ଗୋଟାଉଥାଏ, ଦେଖିଲା ଆଉ ଖାଦ୍ୟ ନାହିଁ  । ପିଲାଙ୍କ ପାଇଁ ଖାଇବା ନିଅଣ୍ଟ ପଡିବ ଭାବି ବସି କାନ୍ଦିବାରେ ଲାଗିଲା । ପିମ୍ପୁଡି କୁ କାନ୍ଦିବା ଦେଖି ବଣି ତା' ପାଖକୁ ଯାଇ କାନ୍ଦିବାର କାରଣ ପଚାରିଲା  । ପିମ୍ପୁଡି ମୁହଁରୁ ସବୁ କଥା ଶୁଣିଲା । ଆଉ କହିଲା, 
"ମୁଁ ଏଇ ଗଛ ଉପରେ ଅଛି । ଆଜି ଯେତେବେଳ ଝିଣ୍ଟିକା ଆସିବ ମୋତେ ଡାକିଦିଅ  । ସେ ଝିଣ୍ଟିକା କଥା ମୁଁ ବୁଝିବି  ।" ଏମିତି କହି କିଛି ଚାଉଳ ସେ ପିମ୍ପୁଡି କୁ ଦେଲା । 

ପିମ୍ପୁଡି ଖୁସି ମନରେ ଘରକୁ ଗଲା  । ପିମ୍ପୁଡି ପିଲାଙ୍କ ପାଇଁ ରାନ୍ଧିଲା  । ପିଲାଙ୍କୁ କୋଳରେ ବସେଇ ଖୁଆଇଲା  । ପିଲାମାନେ ଖାଇ ମା' କୋଳରେ ଶୋଇଲେ  । 

ସେତେବେଳେ ଝିଣ୍ଟିକା ଆସି କବାଟ ବାଡେଇଲା  । ପିମ୍ପୁଡି ପଚାରିଲା କିଏ  ବୋଲି  । ଝିଣ୍ଟିକା ରାଗି ଉତ୍ତର ଦେଲା ଓ ଖାଇବା ଦେବା ପାଇଁ କହିଲା । ପିମ୍ପୁଡି କହିଲା ସବୁ ଖାଇବା ସରିଯାଇଛି  । ଏ କଥା ଶୁଣି ଝିଣ୍ଟିକା ଆହୁରି ଅଧିକ ରାଗିଗଲା  । ଜୋର୍ ରେ କବାଟ ବାଡେଇବାରେ ଲାଗିଲା  । 

ବଡ ପାଟି ଶୁଣି ବଣି ଗଛରୁ ତଳକୁ ଆସିଲା । ସେ ଝିଣ୍ଟିକା କୁ ଧରି ବସାକୁ ନେଇଗଲା  । ବସାରେ ବଣିର ଛୋଟ ଚିଆଁ ଟେ ଥାଏ  । ଝିଣ୍ଟିକା ବଡ ପାଟି କରି କାନ୍ଦିବାରେ ଲାଗିଲା  । ବଣି କହିଲା,
"ଆଉ ଦିନେ ପିମ୍ପୁଡି କୁ ହଇରାଣ କରିବା ଦେଖିଲେ ଆଣି ମୋ ପିଲାର ଆହାର କରିଦେବି  ।" 

ଝିଣ୍ଟିକା ପ୍ରାଣ ବିକଳେ ସେଠୁ ଧାଇଁଲା  । ପିମ୍ପୁଡି ପିଲାଙ୍କୁ ଧରି ଖୁସିରେ ରହିଲା ।