ଦିନେ, ସେ ପିମ୍ପୁଡି ଖାଦ୍ୟ ଖୋଜି ଖୋଜି ବୁଲୁଥାଏ, ଗୋଟିଏ ଝିଣ୍ଟିକା ଆସି ତା' ବାଟ ଓଗାଳିଲା । ପଚାରିଲା,
"ଏ ପିମ୍ପୁଡି । ଏଠି କ'ଣ କରୁଛୁ ?"
ଝିଣ୍ଟିକା କୁ ଦେଖି ପିମ୍ପୁଡି ଡରିଗଲା । ଥତମତ ହୋଇ କହିଲା,
"ଖାଇବା ଜିନିଷ ଗୋଟାଉଛି । ଘରେ ପିଲା ମାନେ ଅଛନ୍ତି । ତା'ଙ୍କୁ ଖାଇବାକୁ ଦେବି ।"
ଏ କଥା ଶୁଣି ଝିଣ୍ଟିକା କହିଲା, "କାଲି ଠାରୁ ଯାହା ରାନ୍ଧିବୁ ପ୍ରଥମେ ମୋତେ ଦେବୁ । ମୋ ପେଟ ପୁରିଲେ ଯାଇ ଆଉ କାହାକୁ ଦେବୁ । ନ ହେଲେ ତୋତେ ଆଉ ତୋ ପିଲାଙ୍କୁ ମାରିଦେବି ।"
ଏମିତି କହି ଝିଣ୍ଟିକା ଉଚ୍ଚ ସ୍ୱରରେ ଅଟ୍ଟହାସ ଦେଲା । ପିମ୍ପୁଡି ଡରରେ ଥର ଥର ହୋଇ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ଘର ଆଡେ ଧାଇଁ ଧାଇଁ ଚାଲିଲା ।
କିଛି ସମୟ ପରେ ଝିଣ୍ଟିକା ପିମ୍ପୁଡି ଘର କବାଟ ବାଡେଇଲା । ପିମ୍ପୁଡି ଭିତରୁ ପଚାରିଲା କିଏ ବୋଲି । ଝିଣ୍ଟିକା ଉତ୍ତର ଦେଲା, "ମୁଁ ଝିଣ୍ଟିକା । ଆଣ କଣ ରାନ୍ଧିଛୁ ।"
ଝିଣ୍ଟିକା ବସିଲା । ଆଉ ପିମ୍ପୁଡି ଯାହା ରାନ୍ଧିଥିଲା, ସବୁ ଖାଇଗଲା । ପିମ୍ପୁଡି ଦେଖିଲା ପିଲାଙ୍କ ପାଇଁ କିଛି ବଳିନି । ପୁଣି ଥରେ ଗଲା ଖାଦ୍ୟ ଗୋଟାଇବା ପାଇଁ ।
ଏମିତି କିଛି ଦିନ ଗଲା । ସକାଳେ ପିମ୍ପୁଡି ଯାହା ଆମେ, ସବୁ ଝିଣ୍ଟିକା ଖାଇଦିଏ, ପରେ ପିମ୍ପୁଡି ପୁଣି ଯାଏ, ଏବଂ ବଳକା ଯାହା ମିଳେ ସେଥିରେ ପିଲାଙ୍କ ପାଇଁ ରାନ୍ଧେ ।
ସେ ଗଛ ଉପରେ ଗୋଟିଏ ବଣି ବସା ବାନ୍ଧିଥାଏ । ସେ କିଛିଦିନ ପିମ୍ପୁଡି କୁ ଦେଖିଲା । ମନେ ମନେ ଭାବିଲା, "ଏ ପିମ୍ପୁଡି କାହିଁକି ଦିନ ସାରା ବାହାରେ ବୁଲୁଛି ଆଉ ଖାଦ୍ୟ ଗୋଟାଉଛି ?"
ଦିନେ ପିମ୍ପୁଡି ଖାଦ୍ୟ ଗୋଟାଉଥାଏ, ଦେଖିଲା ଆଉ ଖାଦ୍ୟ ନାହିଁ । ପିଲାଙ୍କ ପାଇଁ ଖାଇବା ନିଅଣ୍ଟ ପଡିବ ଭାବି ବସି କାନ୍ଦିବାରେ ଲାଗିଲା । ପିମ୍ପୁଡି କୁ କାନ୍ଦିବା ଦେଖି ବଣି ତା' ପାଖକୁ ଯାଇ କାନ୍ଦିବାର କାରଣ ପଚାରିଲା । ପିମ୍ପୁଡି ମୁହଁରୁ ସବୁ କଥା ଶୁଣିଲା । ଆଉ କହିଲା,
"ମୁଁ ଏଇ ଗଛ ଉପରେ ଅଛି । ଆଜି ଯେତେବେଳ ଝିଣ୍ଟିକା ଆସିବ ମୋତେ ଡାକିଦିଅ । ସେ ଝିଣ୍ଟିକା କଥା ମୁଁ ବୁଝିବି ।" ଏମିତି କହି କିଛି ଚାଉଳ ସେ ପିମ୍ପୁଡି କୁ ଦେଲା ।
ପିମ୍ପୁଡି ଖୁସି ମନରେ ଘରକୁ ଗଲା । ପିମ୍ପୁଡି ପିଲାଙ୍କ ପାଇଁ ରାନ୍ଧିଲା । ପିଲାଙ୍କୁ କୋଳରେ ବସେଇ ଖୁଆଇଲା । ପିଲାମାନେ ଖାଇ ମା' କୋଳରେ ଶୋଇଲେ ।
ସେତେବେଳେ ଝିଣ୍ଟିକା ଆସି କବାଟ ବାଡେଇଲା । ପିମ୍ପୁଡି ପଚାରିଲା କିଏ ବୋଲି । ଝିଣ୍ଟିକା ରାଗି ଉତ୍ତର ଦେଲା ଓ ଖାଇବା ଦେବା ପାଇଁ କହିଲା । ପିମ୍ପୁଡି କହିଲା ସବୁ ଖାଇବା ସରିଯାଇଛି । ଏ କଥା ଶୁଣି ଝିଣ୍ଟିକା ଆହୁରି ଅଧିକ ରାଗିଗଲା । ଜୋର୍ ରେ କବାଟ ବାଡେଇବାରେ ଲାଗିଲା ।
ବଡ ପାଟି ଶୁଣି ବଣି ଗଛରୁ ତଳକୁ ଆସିଲା । ସେ ଝିଣ୍ଟିକା କୁ ଧରି ବସାକୁ ନେଇଗଲା । ବସାରେ ବଣିର ଛୋଟ ଚିଆଁ ଟେ ଥାଏ । ଝିଣ୍ଟିକା ବଡ ପାଟି କରି କାନ୍ଦିବାରେ ଲାଗିଲା । ବଣି କହିଲା,
"ଆଉ ଦିନେ ପିମ୍ପୁଡି କୁ ହଇରାଣ କରିବା ଦେଖିଲେ ଆଣି ମୋ ପିଲାର ଆହାର କରିଦେବି ।"
ଝିଣ୍ଟିକା ପ୍ରାଣ ବିକଳେ ସେଠୁ ଧାଇଁଲା । ପିମ୍ପୁଡି ପିଲାଙ୍କୁ ଧରି ଖୁସିରେ ରହିଲା ।
No comments:
Post a Comment